ଏଷଣା
ଏକ ଗବେଷଣାଧର୍ମୀ ସାହିତ୍ୟ ପତ୍ରିକା। ପ୍ରଥମ କରି ଏହା ୧୯୮୦ ମସିହା ସେପ୍ଟେମ୍ବର ମାସରେ କଟକରୁ ପ୍ରକାଶିତ ହୋଇଥିଲା ଏବଂ କ୍ଷେତ୍ରବାସୀ ନାୟକ ଏହାର ସମ୍ପାଦକ ଥିଲେ। ୧୯୮୬ ମସିହାରେ କ୍ଷେତ୍ରବାସୀ ନାୟକଙ୍କର ଅକାଳ ମୃତ୍ୟୁ ହେବାରୁ ଲାବଣ୍ୟ ନାୟକ ଏବଂ କୃଷ୍ଣ ଚରଣ ବେହେରା ଏହାର ସମ୍ପାଦନା ଦାୟିତ୍ୱ ତୁଲାଇଥିଲେ। ପ୍ରଥମେ ମାର୍ଚ୍ଚ ଏବଂ ଅକ୍ଟୋବରରେ ବର୍ଷକୁ ଦୁଇଖଣ୍ଡ ପତ୍ରିକା ପ୍ରକାଶ ପାଉଥିଲା। ପରେ ଏହା ବଦଳିଯାଇ ଜୁନ ଏବଂ ଡିସେମ୍ବରରେ ପ୍ରକାଶ ପାଇଲା।
ଚିତ୍ତରଞ୍ଜନ ଦାସ, କୃଷ୍ଣ ଚରଣ ବେହେରା, ଗଗନେନ୍ଦ୍ର ନାଥ ଦାଶ, ନରେନ୍ଦ୍ର ନାଥ ମିଶ୍ର, କ୍ଷେତ୍ରବାସୀ ନାୟକ, କୁଞ୍ଜ ବିହାରୀ ଦାଶ ଆଦିଙ୍କ ଭଳି ସାହିତ୍ୟିକ, ଗବେଷକମାନଙ୍କ ଯୋଗୁ ପତ୍ରିକାଟି ଏବେ ଯାଏଁ ନିୟମିତ ପ୍ରକାଶ ପାଇ ଆସୁଛି। ସେତେବେଳର ବୁଦ୍ଧିଜୀବୀ ମହଲରେ ଗବେଷଣା ପ୍ରତି ବିମୁଖତା ଯୋଗୁ ଏମାନେ ବ୍ୟସ୍ତ ହୋଇଛନ୍ତି। ଏମାନେ ସମସ୍ତେ ଏହାକୁ ଏକ ଆହ୍ୱାନ ଭାବରେ ନେଇ ୧୯୮୦ ମସିହାରେ ଓଡ଼ିଆ ଗବେଷଣା ପରିଷଦ ନାଁରେ ଅନୁଷ୍ଠାନଟିଏ ଗଢ଼ିଛନ୍ତି। ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ପ୍ରାଚୀ ସମିତି ବିଲୟ ପରେ ଏହା ଅନ୍ୟତମ ସାହିତ୍ୟ ଅନୁଷ୍ଠାନ, କିନ୍ତୁ ଏହାର ଉଦ୍ଦେଶ୍ୟ ଅଲଗା।
ପରିଷଦର ଲକ୍ଷ୍ୟ ଭିତରେ ରହିଛି ଏଠାରେ ବର୍ଷର ବିଭିନ୍ନ ସମୟରେ ସାହିତ୍ୟର ଅନାଲୋଚିତ ବା ସ୍ୱଳ୍ପାଲୋଚିତ ବିଷୟ ଉପରେ ପ୍ରବନ୍ଧ ପାଠ ହେବ, ବିତର୍କ ହେବ ଏବଂ ଏଗୁଡ଼ିକ ଏଷଣା ପତ୍ରିକାରେ କିମ୍ବା ବହି ଆକାରରେ ପ୍ରକାଶିତ ହେବ। ଏଷଣାରେ ପ୍ରକାଶିତ ପ୍ରବନ୍ଧଗୁଡ଼ିକ ବହୁଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହାର ନିୟମିତ ବିଭାଗଗୁଡ଼ିକ ହେଉଛି ଆଲୋଚନା, ଗ୍ରନ୍ଥସମୀକ୍ଷା, ମତ ଓ ମନ୍ତବ୍ୟ ଆଦି। ଏଥିରେ କେବଳ ସାହିତ୍ୟ ନୁହେଁ, ମାନବବିଜ୍ଞାନ, ସମାଜଶାସ୍ତ୍ର, ମନୋବିଜ୍ଞାନ, ଇତିହାସ, ଧର୍ମ, ଦର୍ଶନ, ସଂସ୍କୃତି, ଏବଂ ପ୍ରାକୃତିକ ବିଜ୍ଞାନ ଉପରେ ମଧ୍ୟ ଲେଖା ରହିବ। ପ୍ରାଚୀନ ଏବଂ ମଧ୍ୟକାଳୀନ ଅପ୍ରକାଶିତ ରଚନାଗୁଡ଼ିକର ପ୍ରକାଶନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।
ପତ୍ରିକାର ଶେଷକୁ ଥାଏ ଷାଣ୍ମାସିକ କାର୍ଯ୍ୟ ବିବରଣୀ ଏବଂ ସଦସ୍ୟମାନଙ୍କର ସଫଳତାର କାହାଣୀ। ସେମାନଙ୍କର ଗବେଷଣାଧର୍ମୀ ଲେଖା ଓ ଗ୍ରନ୍ଥ କେଉଁ ପତ୍ରିକା ବା ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ଆଦି ସୂଚନା ଥାଏ। ପର ସମୟରେ ଲେଖକଙ୍କ ଜୀବନୀ ବା ସାହିତ୍ୟର ଇତିହାସ ରଚନା କରିବା ସମୟରେ ଏହି ତଥ୍ୟ ସାହାଯ୍ୟ କରିବ।
ଏଷଣା କେବଳ ଗୋଟିଏ ସାହିତ୍ୟ ପତ୍ରିକା ନୁହେଁ, ସାହିତ୍ୟ ମାଧ୍ୟମରେ ଜୀବନକୁ ବୁଝିବା ଏବଂ ରାଜନୀତିକ, ସାମାଜିକ, ସାଂସ୍କୃତିକ ଜୀବନକୁ ଅନୁଶୀଳନ କରିବାର ଏକ ପ୍ରାମାଣିକ ଦଲିଲ।
(ଆଧାର: ସମ୍ବାଦ ସାହିତ୍ୟକୋଷ)
ଏଷଣା ସୂଚୀ
ତଳ ସାରଣୀରେ ଏଷଣା ପତ୍ରିକାର ଆରମ୍ଭରୁ ଜୁନ ୨୦୧୮ ପର୍ଯ୍ୟନ୍ତ ପ୍ରକାଶିତ ସଂଖ୍ୟାଗୁଡ଼ିକ ଡାଉନ୍ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ/ଚିତ୍ର ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍ଲୋଡ୍ ପାଇଁ କିଛି ସମୟ ଲାଗିବ।
ଡାଉନ୍ଲୋଡ୍ କରିବା ଆଗରୁ ପତ୍ରିକା ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ନମୁନା ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍ରେ ଖୋଲିବ।
ପତ୍ରିକାର ସଂଖ୍ୟାଗୁଡ଼ିକର ସବୁ ଲେଖାକୁ ଏକାଠିକରି ସମୟ କ୍ରମ ଓ ଲେଖକ କ୍ରମ ଅନୁସାରେ ଦୁଇଟି ସୂଚୀ ଏଠାରେ ଦିଆଯାଇଛି। ଏହା ସାହାଯ୍ୟରେ କୌଣସି ସଂଖ୍ୟାରେ ବା ନିର୍ଦ୍ଦିଷ୍ଟ ଲେଖକଙ୍କର ପ୍ରକାଶିତ ଲେଖା ସହଜରେ ଖୋଜିହେବ।
| ନମୁନା ଖଣ୍ଡ ୧ Sample 1 |
ନମୁନା ଖଣ୍ଡ ୨ Sample 2 |
ନମୁନା ଖଣ୍ଡ ୩ Sample 3 |
ନମୁନା ଖଣ୍ଡ ୪ Sample 4 |
| ରଚନା ସୂଚୀ – ପ୍ରକାଶନ କ୍ରମ Index – Chronological |
ରଚନା ସୂଚୀ – ଲେଖକ କ୍ରମ Index – Authorwise |
||